ପାଣ୍ଡିଆନ ଲଢ଼ିବେନି ନିର୍ବାଚନ
ନିର୍ବାଚନ ଲଢ଼ିବେ ନାହିଁ ଭି. କାର୍ତ୍ତିକେୟ ପାଣ୍ଡିଆନ । ବିଜେଡିର ଉପସଭାପତି ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର ଏହି ସୂଚନା ଦେଇଛନ୍ତି । ତେବେ ପାଣ୍ଡିଆନ ନିର୍ବାଚନ ଲଢ଼ିଲେ କିଛି ଅସୁବିଧା ନାହିଁ ବୋଲି ମଧ୍ୟ ଦେବୀମିଶ୍ର କହିଛନ୍ତି । ଆଜି ବିଜେଡି କାର୍ଯ୍ୟକାରିଣୀ ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ଦେବୀ ମିଶ୍ର ଏହି କଥା କହିଛନ୍ତି ।
ଆଜିର କାର୍ଯ୍ୟକାରିଣୀ ବୈଠକରେ ହୋଇଥିବା ନିଷ୍ପତ୍ତିଗୁଡ଼ିକ ବିଷୟରେ ସୂଚନା ଦେଇ ଦେବୀ ମିଶ୍ର କହିଛନ୍ତି ବିଜେଡିର ସାଙ୍ଗଠନିକ ନିର୍ବାଚନ ବର୍ଷେ ଘୁଞ୍ଚାଇବାକୁ ନିଷ୍ପତ୍ତି ହୋଇଛି। ବିରୋଧୀଙ୍କୁ କାଉଣ୍ଟର କରିବାକୁ ସୋଶାଲ ମିଡିଆକୁ ଅସ୍ତ୍ର କରାଯିବ। ଦଳର ସଭାପତି ନବୀନ ପଟ୍ଟନାୟକ ଏନେଇ ନିର୍ଦ୍ଦେଶ ଦେଇଛନ୍ତି। ଗତ ଅକ୍ଟୋବର ୨୩ତାରିଖରେ ୨୦୦୦ ମସିହା ବ୍ୟାଚ୍ ଆଇଏଏସ୍ ଭିକେ ପାଣ୍ଡିଆନ ସର୍ବଭାରତୀୟ ପ୍ରଶାସନିକ ସେବା ଚାକିରିରୁ ସ୍ୱେଚ୍ଛାକୃତ ଭାବେ ଅବସର ନେଇ ନଭେମ୍ବର ୨୭ ତାରିଖରେ ବିଜେଡିରେ ସାମିଲ ହୋଇଥିଲେ ।
ସେହିପରି କେନ୍ଦ୍ର ନିକଟରେ ପୁଣି ପୁରୁଣା ପ୍ରସଙ୍ଗ ସବୁ ଉଠାଇବାକୁ କାର୍ଯ୍ୟକାରିଣୀରେ ବିଜେଡି ନିଷ୍ପତ୍ତି ନେଇଛି । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ଉଦ୍ୟମ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ଦଳ । କୋଇଲା ରୟାଲିଟି, ସେସ୍ରେ ଦାବି ପୂରଣ ପାଇଁ ଉଦ୍ୟମ ଚାଲିବ ବୋଲି କହିଛନ୍ତି ଦେବୀ ମିଶ୍ର । ଶ୍ରୀ ମିଶ୍ର ଆହୁରି କହିଛନ୍ତି, ଜାନୁଆରୀ ୨୩ରୁ ମାର୍ଚ୍ଚ ୫ ପର୍ଯ୍ୟନ୍ତଆଗାମୀ ନିର୍ଵାଚନ ପାଇଁ ବିଜୁ ଜନତା ଦଳ ବ୍ୟାପକ ଅଭିଯାନ ଚଳାଇବ । କର୍ମକର୍ତ୍ତାଙ୍କୁ ପ୍ରଶିକ୍ଷଣ ଓ ଗାଁକୁ ଚାଲ ଅଭିଯାନ ଚଲାଇବ । ଶଙ୍ଖ ଭବନରେ ପ୍ରତି ନିର୍ବାଚନ ମଣ୍ଡଳୀୱାରୀ ପ୍ରଶିକ୍ଷଣ ଦିଆଯିବ । ନିର୍ବାଚନ ମଣ୍ଡଳୀ ପରେ ଜୋନାଲ ୱାରୀ ପ୍ରଶିକ୍ଷଣ ଦିଆଯିବ । ପଞ୍ଚାୟତସ୍ତରୀୟ ସମ୍ମିଳନୀ କରିବାକୁ ମଧ୍ୟ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇଛି ।


