କଟକ-ଭୁବନେଶ୍ବରର ନୂଆ ପୁଲିସ କମିସନର ସଞ୍ଜୀବ ପଣ୍ଡାଙ୍କ ଆଗରେ ବଡ଼ ଆହ୍ବାନ
ଭୁବନେଶ୍ବର: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। କଟକ-ଭୁବନେଶ୍ବର ଦ୍ବୈତନଗରୀର ନୂଆ ପୁଲିସ କମିସନର ଭାବେ ୧୯୯୪ ବ୍ୟାଚ୍ ଆଇପିଏସ୍ ଅଫିସର ସଞ୍ଜୀବ ପଣ୍ଡାଙ୍କୁ ଦାୟିତ୍ବ ମିଳିଛି। ବର୍ତ୍ତମାନ ସେ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ସହିତ ରାଜ୍ୟ ପୁଲିସ ହାଉସିଂ ଓ ୱେଲ୍ଫେୟାର୍ କର୍ପୋରେସନ୍ର ସିଏମ୍ଡି ଦାୟିତ୍ବରେ ଅଛନ୍ତି। ପୂର୍ବରୁ ସେ ପୁରୀ ଏସ୍ପି, ଆଇଜି ପର୍ସନାଲ, ଆଇଜି ଓଏସ୍ଏପି, ଏଡିଜି କ୍ରାଇମ୍ବ୍ରାଞ୍ଚ, ପରିବହନ କମିସନର ଆଦି ଥିବା ସମୟରେ ସଫଳତାର ସହ ଦାୟିତ୍ବ ନିର୍ବାହ କରି ସରକାରଙ୍କ ଆସ୍ଥାଭାଜନ ହୋଇଛନ୍ତି। ଏବେ ନୂଆ ଦାୟିତ୍ବ ଦ୍ବୈତନଗରୀର ପୁଲିସ କମିସନର ଭାବେ ତାଙ୍କୁ ବହୁ ଚ୍ୟାଲେଞ୍ଜ୍ର ସମ୍ମୁଖୀନ ହେବାକୁ ପଡ଼ିବ। ସାଧାରଣ ନିର୍ବାଚନ ପରିଚାଳନାଠାରୁ ଆରମ୍ଭ କରି ଆଇନଶୃଙ୍ଖଳା, ଭିଭିଆଇପି ସୁରକ୍ଷା, ଅପରାଧ ନିୟନ୍ତ୍ରଣ ଭଳି ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ତାଙ୍କ ପାଇଁ ଆହ୍ବାନ ସୃଷ୍ଟି କରିବ। ରାଜଧାନୀରେ ବଢ଼ୁଥିବା ସାଇବର ଅପରାଧ ଓ ଅନ୍ତଃରାଜ୍ୟ ଲୁଟେରାଙ୍କ ଦୌରାତ୍ମ୍ୟ ଓ ଟ୍ରାଫିକ୍ ସମସ୍ୟା ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ।


