ରତ୍ନଭଣ୍ଡାରକୁ ଗଲା ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର

Sep 23, 2025 - 22:28
 3
ରତ୍ନଭଣ୍ଡାରକୁ ଗଲା ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର

ଖବର ଓଡ଼ିଶା ବ୍ଯୂର:ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସୂଚନା ଅନୁଯାୟୀ, ଆଜି ସକାଳ ୧୦ଟା ୫୫ ମିନିଟ୍‌ରେ ବାହାର ରତ୍ନଭଣ୍ଡାରର ତାଲା ଖୋଲାଯାଇଥିଲା। ତା’ପରେ ଭିତର ରତ୍ନଭଣ୍ଡାରର ତାଲା ଖୋଲା ଯାଇଥିଲା। ଭିତର ରତ୍ନଭଣ୍ଡାର ଖୋଲିବା ପରେ ଅସ୍ଥାୟୀ ରତ୍ନଭଣ୍ଡାର ବା ଖଟଶେଜ ଘରୁ ସିଲ୍‌ ହୋଇଥିବା ୬ଟି ଆଲମିରା ଓ ୬ଟି ପ୍ୟାକେଟ୍‌କୁ ସେଠାକୁ ନିଆଯାଇଥିଲା, ଯେଉଁଥିରେ ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ରହିଛି। ତା’ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭିତର ରତ୍ନଭଣ୍ଡାରକୁ ସିଲ୍ କରାଯାଇଥିଲା। ସିଲ୍‌ କରିବା ପାଇଁ ସେଥିରେ ଦୁଇଟି ତାଲା ପକାଯାଇଥିଲା। ସମସ୍ତ ଅଧିକୃତ ବ୍ୟକ୍ତିବିଶେଷ ଓ ସେବକମାନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ସଂପାଦିତ କରାଯାଇଥିଲା। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଦୁଇଟି ତାଲାର ସମସ୍ତ ଚାବିକୁ ସିଲ୍ କରାଯାଇଥିଲା। ସେହିପରି ଭିତର ରତ୍ନଭଣ୍ଡାରରେ ରହିଥିବା ସମସ୍ତ ଆଲମିରାର ଚାବିଗୁଡ଼ିକୁ ମଧ୍ୟ ସିଲ୍ କରାଯାଇଛି। ଏହି ସବୁ ଚାବିଗୁଡ଼ିକୁ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ଟ୍ରେଜେରୀରେ ରଖାଯିବ। 

ଭିତର ରତ୍ନଭଣ୍ଡାରରେ ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷପତ୍ର ରଖାଯିବା ପରେ ବାହାର ରତ୍ନଭଣ୍ଡାର ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ପାଇଁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମରାମତି ପାଇଁ ବାହାର ରତ୍ନଭଣ୍ଡାରରରେ ଥିବା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷକୁ ଚାଙ୍ଗଡ଼ା ଓ ଫୁଲ ଘରେ ରଖାଯାଇଥିଲା। ସେଠାରୁ ସେଗୁଡ଼ିକୁ ଆଣି ବାହାର ରତ୍ନଭଣ୍ଡାରରେ ରଖାଯାଇ ତାଲା ପକାଯାଇଥିଲା। ବାହାର ରତ୍ନଭଣ୍ଡାରର ତାଲାର ଚାବିଗୁଡ଼ିକୁ ପରମ୍ପରା ଅନୁଯାୟୀ ଗଜପତି ମହାରାଜଙ୍କ ପ୍ରତିନିଧି, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଓ ଭଣ୍ଡାର ମେକପ ସେବକମାନଙ୍କ ପାଖରେ ରହିଥାଏ। ସେ କାର୍ଯ୍ୟ ମଧ୍ୟ ସମସ୍ତଙ୍କ ସମ୍ମୁଖରେ ଆଜି ସଂପାଦିତ କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।