ଶିକ୍ଷକଙ୍କ ପଦନ୍ନୋତି ପ୍ରକ୍ରିୟାରେ ଅନ୍ତରୀଣ ରୋକ ଲଗାଇଲେ ହାଇକୋର୍ଟ

Sep 29, 2026 - 22:55
 1
ଶିକ୍ଷକଙ୍କ ପଦନ୍ନୋତି ପ୍ରକ୍ରିୟାରେ ଅନ୍ତରୀଣ ରୋକ ଲଗାଇଲେ ହାଇକୋର୍ଟ

ଖବର ଓଡ଼ିଶା ବ୍ଯୂର: କଟକ: ଶିକ୍ଷକଙ୍କ ପଦୋନ୍ନତି ପ୍ରକ୍ରିୟା ଉପରେ ଅନ୍ତରୀଣ ରୋକ ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ । କଟକ ଜିଲ୍ଲାରେ ଏଲିମେଣ୍ଟାରି କ୍ୟାଡର୍‌ ଶିକ୍ଷକଙ୍କ ଲେବୁଲ୍-୪ରୁ ଲେବୁଲ୍-୩କୁ ପଦୋନ୍ନତି ପ୍ରକ୍ରିୟା ଉପରେ ସୋମବାର ହାଇକୋର୍ଟ ଅନ୍ତରୀଣ ରୋକ ଲଗାଇଛନ୍ତି । ‌ଲେବୁଲ-୩ ଶିକ୍ଷକଙ୍କ ପଦୋନ୍ନତି ପ୍ରସଙ୍ଗରେ କୌଣସି ଚୂଡାନ୍ତ ନିଷ୍ପତ୍ତି ନ ନେବାକୁ କଟକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କୌଣସି ପଦୋନ୍ନତି ନିର୍ଦ୍ଦେଶ ଜାରି ନ କରିବାକୁ କଟକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ହାଇକୋର୍ଟ କହିଛନ୍ତି । ଏଥି ସହିତ ମାମଲାରେ ପକ୍ଷ ରଖିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନି‌ର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ୍‌ ଆର୍‌.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ କଣ୍ଟାପଡ଼ା ବ୍ଲକ୍‌ର ଶିକ୍ଷକ ଅଶୋକ ମହାପାତ୍ରଙ୍କ ଅନ୍ତରୀଣ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ତେବେ ଆସନ୍ତା ନଭେମ୍ବର ୩କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି ।

ମାମଲାରୁ ଜଣା ପଡିଛି ଯେ, ଆବେଦନକାରୀ ୨୦୦୧, ସେପ୍ଟେମ୍ବର ୩ ପୂର୍ବରୁ ନିଯୁକ୍ତି ପାଇଥିବା ବେଳେ ବର୍ତ୍ତମାନ ଲେଭେଲ୍-୪ ପ୍ରଧାନଶିକ୍ଷକ ଭାବେ କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ସ୍କୁଲରେ କାର୍ଯ୍ୟରତ ଅଛନ୍ତି । ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଲେବୁଲ-୪ରୁ ଲେବୁଲ୍‌-୩କୁ ପଦୋନ୍ନତି ପ୍ରକ୍ରିୟାରେ ୨୦୦୧, ସେପ୍ଟେମ୍ବର୍‌ ୩ ପୂର୍ବରୁ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ କ୍ଷେତ୍ରରେ ଓଟିଇଟି ପାସ୍‌ ବାଧ୍ୟତାମୂଳକ ସର୍ତ୍ତ ଲାଗୁ ନୁହେଁ ବୋଲି ଦର୍ଶାଇ ହାଇକୋର୍ଟରେ ଏହି ମାମଲା ରୁଜୁ ହୋଇଥିଲା ।

ସେପ୍ଟେମ୍ବର ୧ରେ ହାଇକୋର୍ଟ ମାମଲାର ଶୁଣାଣି କରି କଟକ ଜିଲ୍ଲାର ଚୂଡାନ୍ତ ଗ୍ରେଡେସନ୍‌ ତାଲିକା ପ୍ରକାଶ ନ କରିବା ପର୍ଯ୍ୟନ୍ତ କୌଣସି ପଦୋନ୍ନତି ଦିଆଯିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ । ଏହି ଅନ୍ତରୀଣ ନିର୍ଦ୍ଦେଶ ଉଲ୍ଲଂଘନ କରି ତଥା ଚୂଡାନ୍ତ ଗ୍ରେଡେସନ ତାଲିକା ପ୍ରକାଶ ନ କରି ପଦୋନ୍ନତି ପାଇଁ ଡିଏଲପିସି ଡାକିବାକୁ କଟକ ଜିଲ୍ଲା ଶିକ୍ଷାଧିକାରୀଙ୍କ ତରଫରୁ ସେପ୍ଟେମ୍ବର୍‌ ୨୧ରେ ଚିଠି ଜାରି କରାଯାଇଥିବା ଦର୍ଶାଇ ଆବେଦନକାରୀ ଏହି ଅନ୍ତରୀଣ ଆବେଦନ ଦାୟର କରିଥିଲେ । ହାଇକୋର୍ଟ ମାମଲାକୁ ଗୁରୁତ୍ବର ସହିତ ଗ୍ରହଣ କରି ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପଦୋନ୍ନତି ପ୍ରକ୍ରିୟା ଉପରେ ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି ।