ବଲାଙ୍ଗୀରର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ : ସ୍କ୍ରଵ ଟାଇଫସ
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଭାଲେଗାଁ ପଞ୍ଚାୟତ ଅନ୍ତର୍ଗତ ଵାଗଡୋର ଗ୍ରାମର ହିମାଂଶୁ ସାହୁ (୩୬)ଙ୍କ ସ୍କ୍ରଵ ଟାଇଫସରେ ମୃତ୍ୟୁ ହୋଇଥିବା ଜଣାଯାଇଛି। । ହିମାଂଶୁ ଟାଇଫସ କୀଟ ଆକ୍ରମଣରେ ଗୁରୁତର ହୋଇ ପ୍ରଥମେ ଟିଟିଲାଗଡ଼ ଓ ପରେ ଭୁବନେଶ୍ୱର ସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତକାଲି ରାତି ୯ଟାରେ ସେଠାରେ ତାଙ୍କ ମୃତ୍ୟୁ ହୋଇଛି। ଆଜି ସକାଳୁ ତାଙ୍କ ମର ଶରୀର ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ବଲାଙ୍ଗୀର ଜିଲ୍ଲାରେ ଗତ ଦୁଇମାସ ଭିତରେ ମୋଟ୍ ୩୩୭ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ରାଜ୍ୟରେ ସର୍ବାଧିକ। ଗତ ଅଗଷ୍ଟ ମାସରେ ୧୭୨ ଓ ସେପ୍ଟେମ୍ବର ମାସରେ ଏଯାଏ ୧୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଭାରପ୍ରାପ୍ତ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ କୁବେର ଚନ୍ଦ୍ର ମହନ୍ତ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏହା ଏକ ବର୍ଷାକାଳୀନ ରୋଗ। ପୁଣି ଏହି ରୋଗ ଫେରିଛି। ଏଥିଲାଗି ଭୟଭୀତ ନ ହୋଇ ବରଂ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା ନିଅନ୍ତୁ।


