ସରକାରୀ କର୍ମଚାରୀଙ୍କୁ ହୋଲି ଭେଟି : ୪% ବଢ଼ିଲା ମହଙ୍ଗା ଭତ୍ତା, ଜାନୁଆରୀ ପହିଲାରୁ ପିଛିଲା ଭାବେ ହେବ ଲାଗୁ
ଖବର ଓଡ଼ିଶା ବ୍ଯୂର: ଭୁବନେଶ୍ବର : ରାଜ୍ୟ ସରକାରୀ କର୍ମଚାରୀଙ୍କୁ ହୋଲି ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଚାରି ପ୍ରତିଶତ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪୬ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି ପାଇଲା। ଏହା ଜାନୁଆରୀ ପହିଲାରୁ ପିଛିଲା ଭାବରେ ଲାଗୁ କରାଯାଇଛି। ଏହାର ଅର୍ଥ ହେଉଛି ଏପ୍ରିଲର ବର୍ଦ୍ଧିତ ଦରମା ସହିତ ରାଜ୍ୟ ସରକାରୀ କର୍ମଚାରୀମାନେ ଜାନୁଆରୀ ୨୦୨୪ରୁ ମାର୍ଚ୍ଚ ପର୍ଯ୍ୟନ୍ତ ୩ମାସର ବକେୟା ଟଙ୍କା ପାଇବେ।
ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଏପ୍ରିଲ ମାସ ଦରମାରେ ନଗଦ ଆକାରରେ ମିଳିବ। ଏହା ସହିତ ପେନସନଭୋଗୀଙ୍କ ଟିଆଇରେ ମଧ୍ୟରେ ୪ ପ୍ରତିଶତ ବୃଦ୍ଧି କରାଯାଇଛି। ସେମାନେ ମଧ୍ୟ ଅନୁରୂପ ଭାବେ ଏପ୍ରିଲ ମାସ ପେନସନରେ ଏହି ବର୍ଦ୍ଧିତ ଟିଆଇ ପାଇବେ। ଏହାଦ୍ବାରା ପ୍ରାୟ ସାଢ଼େ ୪.୫ ଲକ୍ଷ ସରକାରୀ କର୍ମଚାରୀ ଓ ୩.୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ।


