୩ରେ ଆସିବେ ପ୍ରଧାନମନ୍ତ୍ରୀ: ବହୁ ପ୍ରକଳ୍ପର କରିବେ ଲୋକାର୍ପଣ
ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ୩ତାରିଖ ପୂର୍ବାହ୍ନରେ ନୂଆଦିଲ୍ଲରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିବେ ।
ଖବର ଓଡ଼ିଶା ବ୍ଯୂର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୩ତାରିଖରେ ଦିନିକିଆ ସମ୍ବଲପୁର ଗସ୍ତରେ ଆସିବେ । ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀ ଆଇଆଇଏମ୍ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ ସହ ଜାତୀୟ ରାଜପଥ, ରେଳବାଇ ଓ ପାୱାର ପ୍ରକଳ୍ପ ଆଦିର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଆଜି ଅନୁଷ୍ଠିତ ହୋଇଛି ।
ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ୩ତାରିଖ ପୂର୍ବାହ୍ନରେ ନୂଆଦିଲ୍ଲରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିବେ । ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟରରେ ସମ୍ବଲପୁରସ୍ଥିତ ଅସ୍ଥାୟୀ ହେଲିପ୍ୟାଡ଼ରେ ପହଂଚି ବସନ୍ତପୁରଠାରେ ନିର୍ମିତ ଆଇଆଇଏମ୍ କ୍ୟାମ୍ପସକୁ ଯିବେ । ସେଠାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ପରେ ସେ ସ୍ଥାନୀୟ ରେମେଡ୍ ପଡ଼ିଆଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ବିମାନ ବନ୍ଦର ସମେତ ସମ୍ବଲପୁଠାରେ ଅସ୍ଥାୟୀ ହେଲିପ୍ୟାଡ୍ ନିର୍ମାଣ ଓ ତାଙ୍କ ଗସ୍ତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ ମାନକ ନିୟମ ଅନୁସାରେ କଡ଼ାକଡ଼ି ପାଳନ କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଯୋଗ ଦେବାକୁ ଥିବା କୌଣସି କାର୍ଯ୍ୟକ୍ରମ ସ୍ଥଳ, ବିମାନ ବନ୍ଦର ଓ ହେଲିପ୍ୟାଡଠାରେ ଡ୍ରୋନ୍ କ୍ୟାମେରା ବ୍ୟବହାର କରାଯିବ ନାହିଁ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ଥଳୀରେ ବିଦ୍ୟୁତ ସରବରାହ ପାଇଁ ଜେନେରେଟର ରଖିବା ଓ ଏହାର ଟେଷ୍ଟିଂ ସହ ଡାକବାଜି ଯନ୍ତ୍ରର ଆଗୁଆ ଟେଷ୍ଟିଙ୍ଗ ଓ ଆଉ ଅତିରିକ୍ତ ଦୁଇଟି ଜେନେରେଟର ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ମୁତୟନ ହେଉଥିବା ସିଧାସଳଖ ନିକଟ ସଂସ୍ପର୍ଶରେ ଯେଉଁ ଅଧିକାରୀ, କର୍ମଚାରୀ ଓ ବ୍ୟକ୍ତିବିଶେଷ ଦାୟିତ୍ୱରେ ରହିବେ ସେମାନଙ୍କର କୋଭିଡ୍ ପରୀକ୍ଷା କରାଇବାକୁ ମଧ୍ୟ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି ।


