ଜମ୍ମୁ କାଶ୍ମୀରରେ ବନ୍ୟା, ଭୂସ୍ଫଳନ; ଜାତୀୟ ରାଜପଥ ବନ୍ଦ

Jul 7, 2026 - 23:18
 6
ଜମ୍ମୁ କାଶ୍ମୀରରେ ବନ୍ୟା, ଭୂସ୍ଫଳନ; ଜାତୀୟ ରାଜପଥ ବନ୍ଦ

ଖବର ଓଡ଼ିଶା ବ୍ଯୂର: ଶ୍ରୀନଗର: ଜମ୍ମୁ କାଶ୍ମୀରର ଡୋଡା ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ଅଚାନକ ବନ୍ୟା ଏବଂ ଭୂସ୍ଖଳନ ହୋଇଛି। ଏଥିଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଭୂସ୍ଖଳନ ଯୋଗୁ ଡୋଡା ଏବଂ କିସ୍ତୱାଡ଼ ମଧ୍ୟରେ ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ବନ୍ଦ ରହିଛି। 

ଅଧିକାରୀମାନେ କହିଛନ୍ତି, ହଠାତ ବନ୍ୟା ଜଳ ଆସିବାରୁ ଥଥ୍ରି ସହରର ଅନେକ ଘରଦ୍ବାର ଭସାଇ ନେଇଛି। ଘର ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ଅନେକ ଗାଡ଼ି ମଧ୍ୟ ବନ୍ୟାଜଳରେ ଭାସି ଯାଇଛି। ତେବେ ବର୍ଷା ଏବଂ ବନ୍ୟା ଯୋଗୁ କେହି ମୃତାହତ ହୋଇଥିବା ନେଇ କିଛି ସୂଚନା ମିଳିନଥିବାବେଳେ ଜିଲ୍ଲା ପ୍ରଶାସନ ସ୍ଥିତିକୁ ଭଲଭାବେ ସମୀକ୍ଷା କରୁଥିବା କହିଛନ୍ତି। ବନ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତିର ଆକଳନ ଜାରି ରହିଛି। 

ଉଲ୍ଲେଖ‌ଯୋଗ୍ୟ ସୋମବାର ସକାଳେ ପ୍ରବଳ ବର୍ଷା ଯୋଗୁ ଅଚାନକ ବନ୍ୟା ଆସି ପ୍ରେମ ନଗରରେ ରାସ୍ତା କ୍ଷୟକ୍ଷତି ହୋଇଛି। ଦୋଦା-କିସ୍ତୱଡ଼ ରାଜପଥରେ ୮ ଘଣ୍ଟାରୁ ଅଧିକ ସମୟ ଧରି ଟ୍ରାଫିକ ସମସ୍ୟା ଉପୁଜିଥିଲା। କିସ୍ତୱଡ଼ ଜିଲ୍ଲାର ନିର୍ମାଣାଧୀନ ୫୪୦ ମେଗାୱାଟ କ୍ବାଡ଼ ହାଇଡ୍ରୋଇଲେକଟ୍ରିକ୍‌ ପ୍ରକଳ୍ପ ନିକଟରେ ଏକାଧିକ ଗାଡ଼ି ପୋତି ହୋଇଯାଇଛି। ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି।