ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ

Sep 28, 2023 - 09:32
 1
ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ

ରାଉରକେଲା: ରାଉରକେଲା  ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ଆସିଷ୍ଟାଣ୍ଟ  କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ସନ୍ଦେହଜନକ  ମୃତ୍ୟୁ ଘଟଣାର ତଦନ୍ତ ଦାୟିତ୍ୱ ପୁଲିସ୍‌ ବିଭାଗର  ମାନବଧିକାର ସୁରକ୍ଷା ସେଲ୍‌(ଏଚ୍‌ଆରପିସି) କୁ ହସ୍ତାନ୍ତର କରାଯାଇଛି । ସେହି ସେଲ୍‌ର ଜଣେ  ଡିଏସ୍‌ପି ପାହ୍ୟାର ଅଫିସରଙ୍କ ତତ୍ତ୍ୱାବଧାନରେ  ଚାଲିବ ତଦନ୍ତ । ଏନେଇ ଆଜି ବିଧିବଦ୍ଧ ଭାବେ  ରାଉରକେଲା ଏସ୍‌ପି ମିତ୍ରଭାନୁ ମହାପାତ୍ର ନିର୍ଦ୍ଦେଶ  ଜାରି କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।  ଏଚ୍‌ଆରପିସି ମାମଲା ଯିବା ପରେ ସୁସ୍ମିତାଙ୍କ  ମୃତ୍ୟୁର ଗୁମର ଶୀଘ୍ର ଖୋଲିବା ଆଶା କରାଯାଇଛି । 
ମଙ୍ଗଳବାର ଆସିଷ୍ଟାଣ୍ଟ କଲେକ୍ଟର  ସୁସ୍ମିତା ମିଞ୍ଜଙ୍କ ପାଇଁ ସୁନ୍ଦରଗଡ଼  ଆଦିବାସୀ ଜିଲ୍ଲା ମଞ୍ଚ ଆନ୍ଦୋଳନକୁ ଓହ୍ଲାଇଥିଲା ।  ଶତାଧିକ ଆଦିବାସୀ ବିରାଟ ଶୋଭାଯାତ୍ରାରେ ଆସି  ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ  ସମ୍ମୁଖରେ ବିକ୍ଷୋଭ କରିଥିଲେ । ସୁସ୍ମିତାଙ୍କୁ ହତ୍ୟା  କରାଯାଇଥିବା ସେମାନେ ଅଭିଯୋଗ କରିଥିଲେ ।  ଏହାର ସିବିଆଇ ତଦନ୍ତ କରାଯିବା ଓ ଦୋଷୀକୁ  ତୁରନ୍ତ ଗିରଫ ପାଇଁ ସେମାନେ ଦାବି କରିଥିଲେ ।  ଦାବିପୂରଣ ନହେଲେ ସମଗ୍ର ରାଜ୍ୟର  ଆଦିବାସୀ ରାଜଧାନୀର ରାଜରାସ୍ତାକୁ ଓହ୍ଲାଇବେ  ବୋଲି ଚେତାବନୀ ଦେଇଥିଲେ । ସୁନ୍ଦରଗଡ଼  ଆଦିବାସୀ ଜିଲ୍ଲା ମଞ୍ଚ ପକ୍ଷରୁ ଭାରତର  ରାଷ୍ଟ୍ରପତି, ଓଡ଼ିଶା ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ,  ଆରଡିସି (ସମ୍ବଲପୁର), ପଶ୍ଚିମାଞ୍ଚଳ ଡିଆଇଜି  ଓ ରାଉରକେଲା ଏସ୍‌ପିଙ୍କ ଉଦ୍ଦେଶ୍ୟରେ ଏକ  ଦାବିପତ୍ର ପ୍ରଦାନ କରାଯାଇଥିଲା ।