୫୦ ଲକ୍ଷ ଟଙ୍କାର ଘିଅ ଓ ତେଲ ଜଳିଗଲା!
ଖବର ଓଡ଼ିଶା ବ୍ଯୂର: ଭୁବନେଶ୍ୱର: ଘିଅ ଓ ଖାଇବା ତେଲ ଗୋଦାମରେ ଲାଗିଲା ନିଆଁ। କ୍ଷଣକ ଭିତରେ ଜଳିଗଲା ୫୦ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ। ଏପରି ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି, ତାହା ଜଣାପଡ଼ି ନାହିଁ।
ଚମାଖଣ୍ଡି ଥାନା ଜଗନ୍ନାଥପୁର ଛକରେ ଥିବା ଗୋଦାମ ଗୃହରେ ଅଚାନକ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ ଏହି ନିଆଁ ବ୍ୟାପୀ ଯାଇଥିଲା। ଏନେଇ ଗୋଦାମ ମାଲିକ କୃଷ୍ଣ ଚନ୍ଦ୍ର ମୁଦୁଲି ଛତ୍ରପୁର ଓ ବ୍ରହ୍ମପୁର ଅଗ୍ନିଶ୍ରମ ବିଭାଗକୁ ସୂଚନା ଦେଇଥିଲେ।
୫ଟି ଦମକଳ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଆୟତ୍ତ କଲା ବେଳକୁ ଗୋଦାମ ଗୃହରେ ଥିବା ଲକ୍ଷାଧିକ ଟଙ୍କା ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିଲା। ବିଶେଷ କରି ଗୋଦାମ ଘରେ ଥିବା ଘିଅ, ତେଲ, ଆଚାର ସମେତ ବିଭିନ୍ନ ସାମଗ୍ରୀ ଜଳି ଯାଇଥିଲା।
ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ପୋଡ଼ି ଯାଇଥିବା ଗୋଦାମ ମାଲିକ ଅଭିଯୋଗ କରିଛନ୍ତି। ତେବେ କେଉଁ କାରଣରୁ ନିଆଁ ଲାଗିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ବିଦ୍ୟୁତ ସର୍ଟଶର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।
