ମାଲକାନଗିରିରେ କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର

ନବୀନ ଇଞ୍ଜିନ ସବୁବେଳେ ଚାଲିବ, ଲୋକଙ୍କ ସମସ୍ୟା ସମାଧାନ କରିବ

Apr 29, 2024 - 22:39
 2
ମାଲକାନଗିରିରେ କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର

ଖବର ଓଡ଼ିଶା ବ୍ଯୂର: ଭୁବନେଶ୍ବର: ବିଜୁ ଜନତା ଦଳ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ମାଲକାନଗିରିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରି ଜିତାଇବାକୁ ଆହ୍ବାନ ଦେଇଛନ୍ତି। ଲୋକସଭା ପ୍ରାର୍ଥୀ  ପ୍ରଦୀପ ମାଝୀଙ୍କ ସହିତ ମାଲକାନଗିରି ବିଧାନସଭା ପ୍ରାର୍ଥୀ  ମାନସ ମାଡକାମି ଓ ଚିତ୍ରକୋଣ୍ଡା ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ନାୟକଙ୍କ ପାଇଁ ଡବଲ ଶଙ୍ଖରେ ବଟନ ଦବାଇ ଭୋଟ ଦେବାକୁ ଅନୁରୋଧ କରିଛନ୍ତି।

ଆରମ୍ଭରୁ ବିରୋଧୀ ଦଳ ଉପରେ ଜୋରଦାର ଆକ୍ରମଣ କରି ଘୋର ସମାଲୋଚନା କରିଥିଲେ। ସେ କହିଥିଲେ ଯେ ଏ ବିଶାଳ ସମାବେଶ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆପଣମାନଙ୍କ ସ୍ନେହ ଓ ଭଲ ପାଇବାର ପ୍ରତୀକ, ଏସବୁ ଦେଖି ବିରୋଧୀଙ୍କ ନିଦ ହଜିଯାଉଛି। ବିଜେପି କ୍ଷମତାକୁ ଆସିଲେ ମିଶନ ଶକ୍ତି ବନ୍ଦ କରିଦେବେ, ମା ମାନଙ୍କ ଦୁବାଇ ଗସ୍ତ ବନ୍ଦ କରିଦେବେ, ପୁଣି ଥରେ ଘର ଭିତରେ ବନ୍ଦ କରି ରଖିବେ, BSKY ବନ୍ଦ କରିଦେବେ। ଆପଣମାନେ ସତର୍କ ରୁହନ୍ତୁ। ନବୀନ ଇଞ୍ଜିନ କେବେ ବି ଫେଲ୍‌ ମାରିନି କି ମାରିବ ନାହିଁ । ନବୀନ ଇଞ୍ଜିନ ସବୁବେଳେ ଚାଲିବ, ଲୋକଙ୍କ ସମସ୍ୟା ସମାଧାନ କରିବ I

ମାଲକାନଗିରିରେ ସେ କହିଥିଲେ ଯେ ଏଠି ଆପଣଙ୍କ ଜଣେ ବିଧାୟକ ଅଛନ୍ତି, ଯାହାକୁ ଆପଣ ଦେଖିବାକୁ ପାଉ ନାହାନ୍ତି। ଏମିତି ଲୋକ ଆପଣଙ୍କ ଦରକାର, ନା ଆପଣଙ୍କ ସହିତ ଦିନରାତି ରହି ଆପଣଙ୍କ ସୁଖଦୁଃଖର ସାଥି ହେବ, ସେ ଲୋକ ଦରକାର । ଆପଣ ନିର୍ଣ୍ଣୟ କରନ୍ତୁ ।

ପଡୋଶୀ ଛତିଶଗଡର ଉଦାହରଣ ଦେଇ ସେ କହିଲେ ଯେ ଦେଖନ୍ତୁ ସେଠାରେ ବାରମ୍ବାର ଡବଲ ଇଞ୍ଜିନ ସିଙ୍ଗଲ ଇଞ୍ଜିନ ଚାଲିଛି, କିନ୍ତୁ ଶାନ୍ତି ନାହିଁ। ସବୁବେଳେ ବମ୍‌ ଫୁଟୁଛି। ନବୀନ ବାବୁଙ୍କ ନେତୃତ୍ବ ଓ କଠିନ ପରିଶ୍ରମରେ ମାଲକାନଗିରିରେ ଶାନ୍ତି ଫେରିଛି। ଶାନ୍ତି ଆସିଲେ ପ୍ରଗତି ଆସିବ ଉନ୍ନତି ଆସିବ। ପୁଞ୍ଜି ଆସିବ, ପିଲା ନିଯୁକ୍ତି ପାଇବେ ।

ମାଲକାନଗିରିର ଏକ ବିଶାଳ ଅଞ୍ଚଳ ଦିନେ କଟ୍‌ଅଫ୍‌ ଅଞ୍ଚଳ ଭାବେ ପରିଚିତ ଥିଲା । ଏବେ କିନ୍ତୁ ତାର ନୂଆ ପରିଚୟ ହୋଇଛି ସ୍ବାଭିମାନ ଅଞ୍ଚଳ। ଏଠାରେ ରୂପାନ୍ତର ଆସିଛି, ବିକାଶର ଧାରା ଜୋରଦାର ହୋଇଛି। ବିରୋଧୀ ଆଖି ଖୋଲି ଦେଖନ୍ତୁ, ବିକାଶ କିପରି ହୁଏ। ମାଲକାନଗିରି ହେଉଛି ତାର ସାକ୍ଷୀ। ଦିନ ଥିଲା ମାଲକାନଗିରିରେ ସାଇକେଲ ଖଣ୍ଡିଏ ଗଡୁ ନ ଥିଲା, ଆଜି ଉଡାଜାହାଜ ଉଡୁଛି।

ମୁଖ୍ୟମନ୍ତ୍ରୀ ତାଙ୍କ ବିଶାଳ ହୃଦୟରେ ଜନଜାତିମାନଙ୍କୁ ସବୁଠାରୁ ବଡ ସ୍ଥାନ ଦେଇଛନ୍ତି । ଜନଜାତି ମାନଙ୍କ ପାଇଁ ସବୁଠାରୁ ଅଧିକ ହଷ୍ଟେଲ ଓଡିଶାରେ ହିଁ ହୋଇଛି। ୫ ଲକ୍ଷରୁ ଅଧିକ ଜନଜାତି ଝିଅମାନେ ପାଠ ପଢି ବାପମାଙ୍କ ସ୍ବପ୍ନ ପୂରଣ କରୁଛନ୍ତି। ଜନଜାତି ଭାଷା, ସଂସ୍କୃତି, ପୂଜାସ୍ଥଳୀ, ଜାହିରାର ସଂରକ୍ଷଣ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ କରିଛନ୍ତି