କୁଏତ ଅଗ୍ନିକାଣ୍ଡ: ମୃତ୍ୟୁ ସଂଖ୍ୟା ୪୯କୁ ବୃଦ୍ଧି

ମୃତକଙ୍କ ମଧ୍ୟରେ ୪୨ ଜଣ ଭାରତୀୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୧ ଜଣ କେରଳର ଥିବା ସୂଚନା ମିଳିଛି।

Jun 13, 2024 - 16:04
 4
କୁଏତ ଅଗ୍ନିକାଣ୍ଡ: ମୃତ୍ୟୁ ସଂଖ୍ୟା ୪୯କୁ ବୃଦ୍ଧି

ଖବର ଓଡ଼ିଶା ବ୍ଯୂର:ମଧ୍ୟପ୍ରାଚ୍ୟ ଦେଶ କୁଏତ୍‌ର ମାଙ୍ଗାଫରେ ହୋଇଥିବା ଭୟଙ୍କର ଅଗ୍ନିକାଣ୍ଡ ଘଟଣାରେ ବଢ଼ି ଚାଲିଛି ମୃତ୍ୟୁ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ଏହି ଭୟାବହ ନିଆଁରେ ୪୯ ଜଣ ପ୍ରାଣ ହରାଇ ସାରିଲେଣି। ମୃତକଙ୍କ ମଧ୍ୟରେ ୪୦ରୁ ଅଧିକ ଭାରତୀୟ ଅଛନ୍ତି। ସେହିପରି ୫୦ରୁ ଅଧିକ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ କୁହାଯାଉଛି।

ଯେଉଁ ଭାରତୀୟମାନଙ୍କର ମୃତ୍ୟୁ ଘଟିଛି ସେମାନେ ବିଶେଷ କରି ୨୦ରୁ ୫୦ ବର୍ଷ ବୟସ ମଧ୍ୟରେ ଥିବା କୁହାଯାଉଛି। ଏମାନେ ସମସ୍ତେ ଶ୍ରମିକ ଭାବେ ଏଠାରେ କାମ କରୁଥିଲେ। ଏହା କୁଏତ ଇତିହାସରେ ସବୁଠାରୁ ଭୟଙ୍କର ଅଗ୍ନିକାଣ୍ଡ ବୋଲି କୁହାଯାଉଛି। ସେପଟେ ଏହି ଘଟଣା ଘଟିବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ତାଙ୍କର କୁଏତ ପ୍ରତିପକ୍ଷ ଅଲ୍ଳୀ ଅଲ୍‌-ୟେହୟାଙ୍କ ସହ କଥା ହୋଇଛନ୍ତି।

ବୁଧବାର କୁଏତର ଦକ୍ଷିଣପ୍ରାନ୍ତ ସ୍ଥିତ ଅହମଦୀର ମଙ୍ଗାଫରେ ଥିବା ଏକ ୬ ମହଲା ବିଲ୍ଡିଂରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଚାହୁଁଚାହୁଁ ଏହି ନିଆଁ ପୂରା ବିଲ୍ଡିଂକୁ ବ୍ୟାପି ଯାଇଥିଲା। କୁଏତ୍‌ର ସବୁଠାରୁ ବଡ଼ ନିର୍ମାଣ ସଂସ୍ଥା ଏନ୍‌ବିଟିସି ଗ୍ରୁପ୍‌ର ଏହି ୬ ମହଲା କୋଠା ଘରଟି ଶ୍ରମିକଙ୍କ ରହିବା ପାଇଁ ବ୍ୟବହାର କରାଯାଉଥିଲା।

ଏହି ଆପାର୍ଟମେଣ୍ଟରେ ପ୍ରାୟ ୧୯୫ ଜଣ ଶ୍ରମିକ ଥିଲେ। ସେମାନେ ଶୋଇଥିବା ଅବସ୍ଥାରେ ରୋଷେଇ ଘରୁ ଏହି ନିଆଁ ଲାଗିଥିବା କୁହାଯାଉଛି। ନିଆଁ ବ୍ୟାପିବା ପରେ ପଞ୍ଚମ ମହଲାରେ ରହୁଥିବା ଅନେକ ବ୍ୟକ୍ତି ଜୀବନ ବଞ୍ଚାଇବା ପାଇଁ ତଳକୁ ଡେଇଁ ପଡ଼ିଥିଲେ। ଯେଉଁମାନେ ଡେଇଁଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ମୃତ୍ୟୁ ଘଟିଛି। ସେହିପରି ଅଧିକାଂଶ ଧୂଆଁ ଲାଗି ଅଣ ନିଶ୍ୱାସ ହୋଇ ପ୍ରାଣ ହରାଇଛନ୍ତି।

ମୃତକଙ୍କ ମଧ୍ୟରେ ୪୨ ଜଣ ଭାରତୀୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୧ ଜଣ କେରଳର ଥିବା ସୂଚନା ମିଳିଛି। ସେହିପରି ଅନ୍ୟ ମୃତକଙ୍କ ମଧ୍ୟରେ ପାକିସ୍ତାନ, ଫିଲିପାଇନ୍ସ, ଇଜିପ୍ଟ ଓ ନେପାଳର ନାଗରିକ ଥିବା କୁହାଯାଉଛି। ସେପଟେ ଏହି ଅଗ୍ନିକାଣ୍ଡ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।

କୁଏତ୍‌ରେ ଥିବା ଭାରତୀୟ ଦୂତାବାସ ଓ ସ୍ଥାନୀୟ ପ୍ରଶାସନଙ୍କ ସହ କଥା ହୋଇ ସ୍ଥିତି ପରଖିଛନ୍ତି। ମୃତ ଭାରତୀୟ ଶ୍ରମିକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖଏଁ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି। ଏଥିସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଅଗ୍ନିକାଣ୍ଡରେ ଆହତ ହୋଇଥିବା ଲୋକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୋଦି।