ଶିବାଜୀ ପଟ୍ଟନାୟକ ସ୍ମାରକୀ ପ୍ଲାଜା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Oct 19, 2023 - 08:14
 5
ଶିବାଜୀ ପଟ୍ଟନାୟକ ସ୍ମାରକୀ ପ୍ଲାଜା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଶିବାଜୀ ପଟ୍ଟନାୟକ ସ୍ମାରକୀ ପ୍ଲାଜାକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୁଧବାର ସନ୍ଧ୍ୟାରେ ଜୟଦେବ ବିହାରରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ସ୍ମାରକୀ ପ୍ଲାଜାକୁ ଲୋକର୍ପଣ କରିବା ସହ ୬୧୫ ବର୍ଗ ମିଟର ଉପରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଦ୍ୱାରା କରାଯାଇଥିବା ବିକାଶ କାର୍ୟ୍ୟକୁ ବୁଲି ଦେଖିଥିଲେ । ଏହି ପ୍ଲାଜା ନିର୍ମାଣ ପାଇଁ ମୋଟ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ବସିବା ସୁବିଧା, ପିଇବାପାଣି, ଶୌଚାଳୟ ଆଦି ନିର୍ମାଣ ହୋଇଛି।ଏହି ପଦକ୍ଷେପ ତାଙ୍କର ଉତ୍ତରାଧିକାରୀ ସଂରକ୍ଷଣ କରିବା ସହ ଭବିଷ୍ୟତ ପିଢ଼ୀଙ୍କୁ ତାଙ୍କର ମୂଲ୍ୟବୋଧ, ଅବଦାନର ବାର୍ତ୍ତା ଦେବ।

ଏଠାରେ ଥିବା ଛୋଟ ଉଦ୍ୟାନ ପ୍ରାଚୀରରେ ସ୍ବର୍ଗତ ଶିବଜୀ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ପ୍ଲାଜାରେ ସ୍ବର୍ଗତ ଶିବାଜୀ ପଟ୍ଟନାୟକପଙ୍କ ଜୀବନ, ସଫଳତା ଏବଂ କିସାନ୍ ଆନ୍ଦୋଳନ, ଖେଟ୍ ମଜଦୁର ୟୁନିଅନ୍, ରାଜ୍ୟରେ ଟ୍ରେଡ୍ ୟୁନିଅନ୍ ଆନ୍ଦୋଳନ ତଥା ତାଙ୍କର ଉନ୍ନତିମୂଳକ କାର୍ୟ୍ୟ ଉପରେ ଦର୍ଶାଯାଇଛି । ସମାଜ ସବୁଜ ଜୀବନ ପ୍ରତି ଏକ ବୃହତ ଲକ୍ଷ୍ୟ ସହ ଏହାର ଚାରିପାଖର ୭୦ ପ୍ରତିଶତ ଜାଗା ମୁକ୍ତାକାଶ ବା ଖୋଲା ସ୍ଥାନରେ କରାଯାଇଛି। ଜୟଦେବ ବିହାର ସିପିଆଇ (ଏମ୍) କାର୍ୟ୍ୟାଳୟ ନିକଟରେ ଏହି ପ୍ଲାଜା ରହିଛି। ଶ୍ରମିକ ଶ୍ରେଣୀର ଉନ୍ନତି ଦିଗରେ ଶିଵାଜୀ ପଟ୍ଟନାୟକଙ୍କ ଉଲ୍ଲେଖନୀୟ ଅବଦାନକୁ ଏହା ସମ୍ମାନିତ କରିବ ବୋଲି ଏହି ଅବସରରେ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ମେ ମାସରେ ସ୍ବର୍ଗତ ଶିବାଜୀ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକରେ ମୁଖ୍ୟମନ୍ତ୍ରୀ ଏହି ପ୍ଲାଜାର ଶିଳ୍ୟାନ୍ୟାସ କରିଥିଲେ ।