ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା
ଖବର ଓଡ଼ିଶା ବ୍ଯୂର: କଟକ: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ ମା।
ସେ ଏତଲାରେ ଦର୍ଶାଇଛନ୍ତି ତାଙ୍କ ପୁଅକୁ ନିର୍ୟାତନା ଦିଆଯାଇଛି। ହ୍ୟୁମାନଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ ଦାବି କରି ସେ ଏତଲା ଦେଇଛନ୍ତି।
ମୃତ୍ୟୁର କାରଣ ସ୍ପଷ୍ଟ ଯଦିଓ ଲଲ୍ଲେଖ କରାଯାଇନାହିଁ ତେବେ ଅବହେଳା, ଦୁର୍ବ୍ୟବହାର, ଚାପ, ବିଷକ୍ରିୟା, ନିଶାଦ୍ରବ୍ୟ ପ୍ରୟୋଗର ତଦନ୍ତ ଦାବି କରିଛନ୍ତି ହ୍ୟୁମାନଙ୍କ ମା’। ଏଥିସହିତ ଷଡ଼ଯନ୍ତ୍ର, ଆର୍ଥିକ ହେରଫେର୍, ଡିଜିଟାଲ ପ୍ରମାଣ ନଷ୍ଟ ସମ୍ପର୍କିତର ମଧ୍ୟ ତଦନ୍ତ ଦାବି କରି ଏତଲା ଦେଇଛନ୍ତି।
କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ୱ ହେବ ବିଭିନ୍ନ ଓଡ଼ିଆ ଚଳଚ୍ଚିତ୍ର, ସାଂସ୍କୃତିକ କାର୍ୟ୍ୟକ୍ରମରେ କଣ୍ଠଦାନ କରି ବ୍ୟାପକ ଅର୍ଥ ରୋଜଗାର କରିଥିଲେ। ହ୍ୟୁମାନଙ୍କ ଟିମରେ ଥିବା ମ୍ୟାନେଜର, ସହଯୋଗୀ ହ୍ୟୁମାନଙ୍କୁ ନେଇ ଷ୍ଟେଜ ପ୍ରୋଗ୍ରାମ କରାଇ ବ୍ୟାପକ ଅର୍ଥ ରୋଜଗାର କରିବା ସହ ଉକ୍ତ ଅର୍ଥକୁ ନିଜ ଅକ୍ତିଆରରେ ରଖୁଥିବା ବର୍ତ୍ତମାନ ଚର୍ଚ୍ଚା ହେଉଛି। କିନ୍ତୁ କିଛି ଦିନ ପୁର୍ବରୁ ହ୍ୟୁମାନଙ୍କ ଶରୀର ଅତି ଜଟିଳ ହେବା ସତ୍ତ୍ୱେ ଷ୍ଟେଜ ପ୍ରୋଗ୍ରାମ କରାଉଥିବା ଯୋଗୁଁ ହ୍ୟୁମାନ ଅତି ସିରିୟସ ହୋଇ ମେଡିକାଲରେ ଆଡମିଶନ ହୋଇଥିଲେ କିନ୍ତୁ ଏହି ମ୍ୟାନେଜରଙ୍କ ସହ ହ୍ୟୁମାନଙ୍କ ଟିମ ତାଙ୍କ ପରିବାର, ବନ୍ଧୁବର୍ଗ ଓ ସହଯୋଗୀଙ୍କୁ ଜଣାଉ ନ ଥିଲେ। ହ୍ୟୁମାନଙ୍କ ମ୍ୟାନେଜର ସମେତ ଟିମ ସଦସ୍ୟ ନିଜର ବ୍ୟକ୍ତିଗତ ସାର୍ଥ ହାସଲ କରିବା, ହ୍ୟୁମାନ ରୋଜଗାର କରିଥିବା ବ୍ୟାପକ ଅର୍ଥ ହେରଫେର କରିବା ସହ ହ୍ୟୁମାନଙ୍କୁ ମୃତ୍ୟୁ ମୂଖକୁ ଠେଲି ଦେଇଥିବା ଅଭିଯୋଗ ହେଉଛି।
ସୂଚନାନୁଯାୟୀ, ଓଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ତାଙ୍କ ମା' ଶେଫାଳି ସୁନା ସାଙ୍ଘାତିକ ଅଭିଯୋଗ ଆଣିଥିଲେ। ପୁଅ ମୃତ୍ୟୁ ପଛରେ ୩ ଜଣଙ୍କୁ ଦାୟୀ କରିଥିଲେ। ହ୍ୟୁମାନଙ୍କ ମରିବା ପଛରେ ତାଙ୍କର ଦୁଇ ମ୍ୟାନେଜର ଓ ଅନ୍ୟ ଜଣେ ଯୁବତୀଙ୍କ ହାତ ଥିବା କହିଥିଲେ। ହ୍ୟୁମାନଙ୍କ ଦେହ ଅସୁସ୍ଥ ଥିବା ସତ୍ତ୍ଵେ ତାଙ୍କୁ ଷ୍ଟେଜ୍ ସୋ କରାଉଥିବା କହିଥିଲେ। ଏହାକୁ ନେଇ ଏମ୍ସ ହସ୍ପିଟାଲ ବାହାରେ ତୁମୁଳ କାଣ୍ଡ ଦେଖିବାକୁ ମିଳିଥିଲା। ହ୍ୟୁମାନଙ୍କ ମା' ଓ ତାଙ୍କ ମ୍ୟାନେଜରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ହ୍ୟୁମାନଙ୍କ ଜଣେ ମ୍ୟାନେଜର ଶେଫାଳି ସୁନାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ ମଧ୍ୟ କରିଥିଲା। ଏହି ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ୨ ମ୍ୟାନେଜରଙ୍କ ବିରୋ ବଲାଙ୍ଗୀର ସାମାଜିକ ଓ କୋଶଳ ସଙ୍ଗଠନ ପକ୍ଷରୁ ଟାଉନ ଥାନାରେ ଏତଲା ଦିଆଯାଇଛି।


