ରାହୁଲଙ୍କ ହାତ ଧରିବ ଟିଏମସି, ମମତା ହେବେ ଉପାଧ୍ୟକ୍ଷ

Jun 10, 2026 - 16:19
Jun 10, 2026 - 16:23
 1
ରାହୁଲଙ୍କ ହାତ ଧରିବ ଟିଏମସି, ମମତା ହେବେ ଉପାଧ୍ୟକ୍ଷ

ଖବର ଓଡ଼ିଶା ବ୍ଯୂର:କୋଲକାତା,୧୦।୬: କଂଗ୍ରେସରେ ଟିଏମସି (TMC) ର ମିଶ୍ରଣକୁ ନେଇ ଚର୍ଚ୍ଚା ଜୋର ଧରିଛି। ମିଳିଥିବା ସୂଚନା ଅନୁସାରେ, ସୋନିଆ ଗାନ୍ଧୀଙ୍କ ପକ୍ଷରୁ ମିଳିଥିବା ପ୍ରସ୍ତାବ ଉପରେ ମମତା ବାନାର୍ଜୀ ପ୍ରସ୍ତୁତ ଥିବା ଜଣାପଡ଼ୁଛି, କିନ୍ତୁ ସେ ଅଭିଷେକ ବାନାର୍ଜୀଙ୍କ ଜରିଆରେ ରାହୁଲ ଗାନ୍ଧୀଙ୍କ ସାମ୍ନାରେ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି। ମମତା ଓ ଅଭିଷେକଙ୍କ ବ୍ୟାକ-ଟୁ-ବ୍ୟାକ ଦିଲ୍ଲୀ ଗସ୍ତ ପରେ ଚର୍ଚ୍ଚା। ଦିନକ ପୂର୍ବରୁ ସୋନିଆଙ୍କୁ ଭେଟିଥିଲେ ମମତା। ଆଜି ରାହୁଲଙ୍କୁ ଦିଲ୍ଲୀରେ ଭେଟିଲେ ଅଭିଷେକ। ମମତାଙ୍କୁ କଂଗ୍ରେସର ଜାତୀୟ ଉପସଭାପତି ଅଫର ଥିବା ଚର୍ଚ୍ଚା; ଅଭିଷେକଙ୍କୁ କଂଗ୍ରେସ ମହାସଚିବ ପଦ ଅଫର ଚର୍ଚ୍ଚା।

ସୂତ୍ର ଅନୁସାରେ, ଅଭିଷେକ ବାନାର୍ଜୀ ରାହୁଲ ଗାନ୍ଧୀଙ୍କ ସହ ହୋଇଥିବା ବୈଠକରେ ଏହି ବିଷୟରେ ଆଲୋଚନା କରିଛନ୍ତି। ଟିଏମସି ନେତା କଂଗ୍ରେସ ନେତୃତ୍ୱ ସାମ୍ନାରେ ଦାବି ରଖିଛନ୍ତି ଯେ ମମତା ବାନାର୍ଜୀଙ୍କୁ ରାଜ୍ୟ ସଭାକୁ ପଠାଯାଉ। କେବଳ ସେତିକି ନୁହେଁ, ତାଙ୍କୁ ରାଜ୍ୟ ସଭାରେ ବିରୋଧୀ ଦଳ ନେତା ପଦ ମଧ୍ୟ ଦିଆଯାଉ। ତେବେ ଏହା ଉପରେ କଂଗ୍ରେସ ପକ୍ଷରୁ କଣ କୁହାଯାଇଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ସୋନିଆ ଗାନ୍ଧୀ ନିଜେ ଫୋନ କରି ମମତା ବାନାର୍ଜୀଙ୍କୁ ଟିଏମସିର କଂଗ୍ରେସରେ ମିଶ୍ରଣ ପାଇଁ ପ୍ରସ୍ତାବ ଦେଇଥିଲେ। ସୂତ୍ର ଅନୁସାରେ, ସୋନିଆ ଗାନ୍ଧୀ ମମତା ବାନାର୍ଜୀଙ୍କୁ କହିଛନ୍ତି ଯେ ସେ ଟିଏମସିର ମିଶ୍ରଣ କରିଦିଅନ୍ତୁ, ଏହାର ବଦଳରେ ତାଙ୍କୁ କଂଗ୍ରେସର ଜାତୀୟ ଉପାଧ୍ୟକ୍ଷ କରାଯିବ। ଏହା ବ୍ୟତୀତ ତାଙ୍କ ଭଣଜା ତଥା ଏମପି ଅଭିଷେକ ବାନାର୍ଜୀଙ୍କୁ ମଧ୍ୟ ଦଳର ସାଧାରଣ ସମ୍ପାଦକ ପଦ ଦିଆଯିବ।

କଂଗ୍ରେସ ସଂସଦୀୟ ଦଳର ନେତ୍ରୀ ମମତା ବାନାର୍ଜୀଙ୍କୁ ପ୍ରସ୍ତାବ ଦେଇଥିଲେ ଯେ, ଟିଏମସି ଉପରେ ଭାଜପାର ରାଜନୈତିକ ଆକ୍ରମଣକୁ ଦେଖି ସେ ନିଜ ଦଳକୁ କଂଗ୍ରେସ ସହ ମିଶ୍ରଣ କରିଦେବା ଉଚିତ, ନଚେତ ଭାଜପା ସେମାନଙ୍କୁ ମଧ୍ୟ ଆମ ଆଦମୀ ପାର୍ଟି (AAP) ଭଳି ହଇରାଣ କରିବ। ଏହାସହ ତାଙ୍କ ଦଳର କିଛି ଆଭ୍ୟନ୍ତରୀଣ ଲୋକ ମଧ୍ୟ ଅଭିଷେକ ବାନାର୍ଜୀଙ୍କ ବିରୋଧରେ ଅଛନ୍ତି, ତେଣୁ ସେମାନଙ୍କ ପାଇଁ ପରିସ୍ଥିତି କଠିନ ହୋଇଯାଇଛି। ସୂତ୍ରରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ମମତା ବାନାର୍ଜୀ ଏହା ଉପରେ ନିଷ୍ପତ୍ତି ନେବା ପାଇଁ କିଛି ଦିନର ସମୟ ମାଗିଛନ୍ତି।

କଂଗ୍ରେସରେ ଟିଏମସିର ମିଶ୍ରଣ ଆଶଙ୍କା ସେତେବେଳେ ଆହୁରି ଦୃଢ଼ ହେଲା, ଯେତେବେଳେ ଟିଏମସି ମୁଖ୍ୟ ମମତା ବାନାର୍ଜୀ ଗତ ଦୁଇ ଦିନରେ (୮ ଓ ୯ ଜୁନ) ଦୁଇଥର କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ତାଙ୍କ ବାସଭବନ ‘୧୦ ଜନପଥ’ରେ ଭେଟିଥିଲେ। ବୈଠକ ସମୟରେ ଉଭୟ ନେତାଙ୍କ ମଧ୍ୟରେ ବେଶ ଆନ୍ତରିକତା ଦେଖିବାକୁ ମିଳିଥିଲା। ମମତା ଏବଂ ସୋନିଆ ପରସ୍ପରକୁ ଆଲିଙ୍ଗନ ମଧ୍ୟ କରିଥିଲେ। ଏହାପରେ ଆଜି ରାହୁଲ ଗାନ୍ଧୀ ଏବଂ ଅଭିଷେକ ବାନାର୍ଜୀଙ୍କ ମଧ୍ୟରେ ମଧ୍ୟ ସାକ୍ଷାତକାର ହୋଇଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାହୁଲ ଗାନ୍ଧୀ ଏବଂ ଅଭିଷେକ ବାନାର୍ଜୀଙ୍କ ମଧ୍ୟରେ ୧୦ ଜନପଥରେ ହୋଇଥିବା ଏହି ବୈଠକ ପ୍ରାୟ ଦେଢ଼ ଘଣ୍ଟା ଧରି ଚାଲିଥିଲା।