ମାହାଙ୍ଗା ଡବଲ ମର୍ଡରରେ କେସ୍‌ ସୁଚିନ୍ତିତ ଷଡଯନ୍ତ୍ର, ନାର୍କୋ ଟେଷ୍ଟ ପାଇଁ  ମୁଁ ପ୍ରସ୍ତୁତ: ପ୍ରତାପ ଜେନା 

Sep 26, 2023 - 04:01
 5
ମାହାଙ୍ଗା ଡବଲ ମର୍ଡରରେ କେସ୍‌ ସୁଚିନ୍ତିତ ଷଡଯନ୍ତ୍ର, ନାର୍କୋ ଟେଷ୍ଟ ପାଇଁ  ମୁଁ ପ୍ରସ୍ତୁତ: ପ୍ରତାପ ଜେନା 

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଅତିରିକ୍ତ ଦୌରା ଜଜ୍‌ ତଥା ସ୍ୱତନ୍ତ୍ର ଅଦାଲତରେ ମାହାଙ୍ଗା ଡବଲ ମର୍ଡର ମାମଲାର ଶୁଣାଣୀ ପାଇଁ ସାଲେପୁର ଜେଏମ୍‌ଏଫ୍‌ସି ଅଦାଲତ ନିର୍ଦ୍ଦେଶ ଦେବା ପରେ ବିଧାୟକ ପ୍ରତାପ କୁମାର ଜେନାଙ୍କ ପାଇଁ ଅଡୁଆ ବଢିଛି । ତେବେ ତାଙ୍କ ବିରୋଧରେ ଏହା ମିଥ୍ୟା ଓ ଭିତ୍ତିହୀନ ଅଭିଯୋଗ ଏବଂ ଷଡଯନ୍ତ୍ର ହୋଇଛି ବୋଲି କହିଛନ୍ତି ପ୍ରତାପ ଜେନା । ଏମିତିକି ସେ ତାଙ୍କର ଓ ତାଙ୍କ ବିରୋଧରେ ଅଭିଯୋଗ କରୁଥିବା ବ୍ୟକ୍ତିଙ୍କର ନାର୍କୋ ଟେଷ୍ଟ କରାଯାଉ ବୋଲି ମଧ୍ୟ ମତ ଦେଇଛନ୍ତି । ପ୍ରତାପଙ୍କ ବିରୋଧରେ (୩୦୨)ହତ୍ୟା, (୧୨୦-ବି)ଆପରାଧିକ ଷଡଯନ୍ତ୍ର, ୫୦୬( ହତ୍ୟା ଧମକ) ଅଭିଯୋଗ ନେଇ ଆପାତତଃ ମାମଲା ରହିଛି ବୋଲି ଅଦାଲତ କହିଛନ୍ତି । ଶ୍ରୀ ଜେନା ମାହାଙ୍ଗା ବିଧାୟକ ହୋଇଥିବାରୁ ମାମଲାର ରେକର୍ଡ ଭୁବନେଶ୍ୱର ଅତିରିକ୍ତ ଦୌରା ଜଜ୍‌ ତଥା ସ୍ୱତନ୍ତ୍ର ଅଦାଲତକୁ ସ୍ଥାନାନ୍ତର ପାଇଁ ସାଲେପୁର ଜେଏମ୍‌ଏଫ୍‌ସି ନିର୍ଦ୍ଦେଶ ଦେଇଛନ୍ତି । ସାଲେପୁର ଜେଏମ୍‌ଏଫ୍‌ସି ଅଦାଲତ ରଣଜିତ କୁମାର ବରାଳଙ୍କ ପକ୍ଷରୁ ଦାୟର କଂପ୍ଲେନ୍‌ କେସ୍‌ର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ୨୦୨୨ ଡିସେମ୍ବର ୯ରେ ଡବଲ ମର୍ଡର ଘଟଣାର ଏତଲାକାରୀ ରମାକାନ୍ତ ବରାଳଙ୍କ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ରମାକାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ରଞ୍ଜିତଙ୍କୁ ପ୍ରୋଟେଷ୍ଟ ପିଟିସନ ଦାଖଲ କରିବାକୁ ସାଲେପୁର ଜେଏମ୍‌ଏଫ୍‌ସି ଅଦାଲତ ଅନୁମତି ଦେଇଥିଲେ । ଏହାପରେ ରଣଜିତ ପ୍ରୋଟେଷ୍ଟ ପିଟିସନ କଂପ୍ଲେନ କେସ୍‌ ମାଧ୍ୟମରେ ଦାଖଲ କରିଥିଲେ ଓ ତାଙ୍କ ବୟାନ ଅଦାଲତରେ ରେକର୍ଡ କରାଯାଇଥିଲା । ଏଥି ସହିତ ଆଉ କେତେକ ସାକ୍ଷୀଙ୍କ ବୟାନ ମଧ୍ୟ ଅଦାଲତରେ ରେକର୍ଡ କରାଯାଇଥିଲା । ଅଭିଯୋଗକାରୀ ତଥା ସାକ୍ଷୀଙ୍କ ବୟାନ, ତଦନ୍ତ ସମୟରେ ସଂଗ୍ରହ କରାଯାଇଥିବା ସିଡିଆର୍‌ ଓ ଅନ୍ୟାନ୍ୟ ତଥ୍ୟକୁ ଆଧାର କରି ଜେଏମଏଫସି ଅଦାଲତ ଉପରୋକ୍ତ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।