ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର : ୩୧ ଯାଏଁ ପ୍ରବଳ ବର୍ଷା, ଘଣ୍ଟାପ୍ରତି ୫୫ କି.ମି ବେଗରେ ବହିବ ପବନ
ଖବର ଓଡ଼ିଶା ବ୍ଯୂର:ଭୁବନେଶ୍ବର : ଲଘୁଚାପରେ ପରିଣତ ହେଲା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ। ବର୍ତ୍ତମାନ ଏହା ଉତ୍ତର ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇ ରହିଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଏହି ଲଘୁଚାପ।କାଲି ସୁଦ୍ଧା ସୁଦୃଶ୍ୟ ଲଘୁଚାପର ରୂପ ନେଇ ଦକ୍ଷିଣ ଓଡିଶା ଉତ୍ତର ଆନ୍ଧ୍ର ପ୍ରଦେଶ ଦେଇ ଲଘୁଚାପ କ୍ଷେତ୍ରଟି ସ୍ଥଳଭାଗ ମୁହାଁ ହେବ। ଯାହାର ପ୍ରଭାବରେ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ନିର୍ଦ୍ଧୁମ ବର୍ଷା ହେବା ସମ୍ଭାବନା ରହିଛି।
ସେପଟେ ଲଘୁଚାପ ପ୍ରଭାବରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛ। ଏହି ସବୁ ଜିଲ୍ଲାରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ।ବର୍ଷା ସମୟରେ ତଳି ଅଞ୍ଚଳ ରେ ଜଳବନ୍ଦୀ ସମସ୍ୟା, ପାହାଡି ଅଞ୍ଚଳରେ ଭୂସ୍ଖଳନ, ସହରାଞ୍ଚଳରେ କୂତ୍ରିମ ବନ୍ୟା, କଚ୍ଚା ରାସ୍ତା ଘର ଭାଙ୍ଗିବା ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର।
ସେହିଭଳି ଆଜି ପାଇଁ ପ୍ରବଳ ବର୍ଷା ନେଇ ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ନୂଆପଡ଼ା, ନୟାଗଡ଼, ଖୋର୍ଦ୍ଧା ଏବଂ ପୁରୀକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଟୁଇନସିଟି କଟକ ଭୁବନେଶ୍ୱରରେ ବି ବର୍ଷା ଲାଗି ରହିଥିବା ବେଳେ ସନ୍ଧ୍ୟାରେ ବି ବର୍ଷା ହେବାର ସମ୍ଭାବନା ରହିଛି।
କାଲି ମଧ୍ୟ ଭୀଷଣ ବର୍ଷା ନେଇ ଗଜପତି, ମାଲକାନଗିରି ଏବଂ କୋରାପୁଟକୁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଏଥି ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଗଞ୍ଜାମ, କଳାହାଣ୍ଡି, ରାୟଗଡା ଏବଂ ନବରଙ୍ଗପୁରକୁ ଆସନ୍ତାକାଲି ପାଇଁ ମଧ୍ୟ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।


