୧.୭୫ ଲକ୍ଷ ଲୋକଙ୍କୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖାଇବେ ସରକାର: ଆସନ୍ତାକାଲିଠୁ ଆରମ୍ଭ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଦେଖିବା ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ପଂଚାୟତରୁ ୨୦ଜଣ ଲେଖାଏଁ ଲୋକଙ୍କୁ ବସ୍ ଯୋଗେ ପୁରୀ ଆଣିବାର ବ୍ୟବସ୍ଥା କରିଛନ୍ତି।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଦେଖିବେ ରାଜ୍ୟର ୧ ଲକ୍ଷ ୭୫ ହଜାର ଲୋକ। ରାଜ୍ୟ ସରକାରଙ୍କ ଖର୍ଚ୍ଚରେ ଆରାମଦାୟକ ବସରେ ପୁରୀ ଆସିବେ, ମହାପ୍ରଭୁଙ୍କ ଦର୍ଶନ ସହ ପରିକ୍ରମା ପ୍ରକଳ୍ପ ବୁଲି ଦେଖି ଘରକୁ ଫେରିବେ। ରାଜ୍ୟର ସମସ୍ତ ୧୪୭ଟି ବିଧାନସଭା କ୍ଷେତ୍ରରୁ ତଥା ପ୍ରତ୍ୟେକ ପଂଚାୟତରୁ ୨୦ ଜଣ ଲେଖାଏଁ ଲୋକଙ୍କ ଯିବା-ଆସିବା-ରହିବା ଓ ଖାଇବା ଆଦି ସହ ସେମାନଙ୍କ ପରିବାର ନିମନ୍ତେ ମହାପ୍ରଭୁଙ୍କ ଶୁଖିଲା ଭୋଗ ମଧ୍ୟ ସରକାର ଯୋଗାଇ ଦେବେ।
ଆସନ୍ତାକାଲି ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିର ଭୋଟରମାନେ ଆସିବେ। ଗତ ୧୭ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହୋଇଥିଲେ ମଧ୍ୟ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର କ୍ଷମତାସୀନ ବିଜେଡି ସରକାର ନିଜସ୍ୱ ପ୍ରଚାର ନିମନ୍ତେ ପଂଚାୟତରୁ ଲୋକଙ୍କୁ ଆଣି ଶ୍ରୀମନ୍ଦିର ବୁଲାଇବାର ଯୋଜନା କରିଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଦେଖିବା ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ପଂଚାୟତରୁ ୨୦ଜଣ ଲେଖାଏଁ ଲୋକଙ୍କୁ ବସ୍ ଯୋଗେ ପୁରୀ ଆଣିବାର ବ୍ୟବସ୍ଥା କରିଛନ୍ତି । ମୋଟ ୩୮୮୬ଟି ବସରେ ରାଜ୍ୟର ମୋଟ ୧ଲକ୍ଷ ୭୪ହଜାର ୭୪୦ଜଣ ଲୋକଙ୍କୁ ପୁରୀ ଅଣାଯିବ । ଜାନୁୟାରୀ ୨୫ରୁ ଫେବୃୟାରୀ ୨୦ତାରିଖ ପର୍ଯ୍ୟନ୍ତ ବିଭିନ୍ନ ନିର୍ବାଚନମଣ୍ଡଳୀର ଲୋକମାନଙ୍କୁ ପୁରୀ ଆଣିବା ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି ।


