ଭୁବନେଶ୍ୱର ଜୋନାଲ୍‌ ସ୍ମାର୍ଟସିଟି ଆୱାର୍ଡ ପାଇଁ ମନୋନୀତ

Aug 26, 2023 - 05:48
 2
ଭୁବନେଶ୍ୱର ଜୋନାଲ୍‌ ସ୍ମାର୍ଟସିଟି ଆୱାର୍ଡ ପାଇଁ ମନୋନୀତ

ଭୁବନେଶ୍ୱର: ଭୁବନେଶ୍ୱର ଜୋନାଲ୍‌ ସ୍ମାର୍ଟସିଟି ଆୱାର୍ଡ ପାଇଁ ମନୋନୀତ ହୋଇଛି । ପୂର୍ବାଞ୍ଚଳରେ ଏହା ଶ୍ରେଷ୍ଠ ସ୍ମାର୍ଟ ସହର ବିବେଚିତ ହୋଇଛି । ସ୍ମାର୍ଟ ସିଟି ମିଶନ ପକ୍ଷରୁ ହୋଇଥିବା ଇଣ୍ଡିଆ ସ୍ମାର୍ଟ ସିଟି ଆୱାର୍ଡ କଣ୍ଟେଷ୍ଟ (ଆଇଏସଏସି)-୨୦୨୨ରେ ଭୁବନେଶ୍ୱର ଏହି ସଫଳତା ପାଇଛି । ଆସନ୍ତା ୨୭ ତାରିଖରେ ମଧ୍ୟପ୍ରଦେଶର ଇନ୍ଦୋରରେ ହେବାକୁ ଥିବା କାର୍ୟ୍ୟକ୍ରମରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସସିଏଲ୍‌)କୁ ଏହି ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତେବେ ଇନ୍ଦୋର ଦେଶର ସବୁ ସ୍ମାର୍ଟ ସହର ଭିତରେ ଶ୍ରେଷ୍ଠ ବିବେଚିତ ହୋଇଛି ।

ସ୍ମାର୍ଟସିଟି ପ୍ରକଳ୍ପ କାର୍ୟ୍ୟକାରିତାରେ ସଫଳତା, ଇନୋଭେଟିଭ୍‌ ପ୍ରକଳ୍ପ, ସହରର ସାମଗ୍ରିକ ବିକାଶ, ନିରାପଦ ଓ ସୁସ୍ଥ ସହର ସହ ଇଣ୍ଟିଗ୍ରେଟେଡ୍‌ କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର କାର୍ୟ୍ୟକାରୀ କରିବାରେ ସହରର ପ୍ରଦର୍ଶନ ଭଳି ଏକାଧିକ ମାନଦଣ୍ଡକୁ ବିଚାରକୁ ନେଇ ଏହି ପୁରସ୍କାର ପ୍ରଦାନ ପାଇଁ ଚୟନ କରାଯାଇଛି । ୮୦ଟି ସ୍ମାର୍ଟ ସିଟି ଇଣ୍ଡିଆ ସ୍ମାର୍ଟ ସିଟି ଆୱାର୍ଡ କଣ୍ଟେଷ୍ଟର ମୋଟ ୬ଟି ବର୍ଗ ପାଇଁ ନାମାଙ୍କନ ଭରିଥିଲେ । ପ୍ରକଳ୍ପ ପୁରସ୍କାର, ଇନୋଭେସନ ପୁରସ୍କାର, ନ୍ୟାସନାଲ/ଜୋନାଲ ସହର ପୁରସ୍କାର, ରାଜ୍ୟ ପୁରସ୍କାର, କେନ୍ଦ୍ରଶାସିତ ପୁରସ୍କାର ଓ ଅଂଶୀଦାର ପୁରସ୍କାର ଭଳି ଭିନ୍ନ ଭିନ୍ନ ବର୍ଗ ପାଇଁ ୮୪୫ଟି ନାମାଙ୍କନ ଆସିଥିଲା ।

ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଅର୍ବାନ ଆଫେୟାର୍ସ (ଏନଆଇୟୁଏ) ପକ୍ଷରୁ ଏକ ବିଚାରକ ମଣ୍ଡଳୀ ଏହି ନାମାଙ୍କନ ଭିତରୁ ଶ୍ରେଷ୍ଠ ସହରକୁ ବାଛିଥିଲେ । ପୂର୍ବାଞ୍ଚଳ ଜୋନ୍‌ରେ ଭୁବନେଶ୍ୱର ସହ ରାଞ୍ଚିକୁ  ଜୋନାଲ ସ୍ମାର୍ଟସିଟି ଆୱାର୍ଡ ପାଇଁ ବଛା ଯାଇଛି । ଉତ୍ତର-ପୂର୍ବ ଜୋନ୍‌ରେ କୋହିମା ଓ ନାମ୍‌ଚୀକୁ ଜୋନାଲ ସ୍ମାର୍ଟ ସିଟି ଆୱାର୍ଡ ଦେବାକୁ ଚୟନ କରାଯାଇଛି । ଉତ୍ତରାଞ୍ଚଳ ଜୋନ୍‌ରେ ବାରଣାସୀ ଓ ଉଦୟପୁର ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଦକ୍ଷିଣାଞ୍ଚଳ ଜୋନ୍‌ରେ କୋଏମ୍ବାଟର ଓ ବେଲଗାଭୀ ଏହି ପୁରସ୍କାର ପାଇବେ । ପଶ୍ଚିମ ଜୋନ୍‌ରେ ଅହମ୍ମଦାବାଦ ଓ ସୋଲାପୁରକୁ ଜୋନାଲ ସ୍ମାର୍ଟସିଟି ଆୱାର୍ଡ ମିଳିବ ।

ଦେଶର ସବୁ ସ୍ମାର୍ଟସିଟି ଭିତରେ ଇନ୍ଦୋରକୁ ୧ନଂ ସ୍ମାର୍ଟ ସହର ମାନ୍ୟତା ମିଳିଛି । ଏହାକୁ ଜାତୀୟ ପୁରସ୍କାର ମିଳିବ । ଦ୍ୱିତୀୟରେ ସୁରତ ଓ ତୃତୀୟରେ ଆଗ୍ରା ସହରକୁ  ଜାତୀୟ ସ୍ମାର୍ଟ ସହର ପୁରସ୍କାର ପାଇବାକୁ ଯୋଗ୍ୟ ହୋଇଛନ୍ତି । ସେହିଭଳି ସ୍ମାର୍ଟ ପ୍ରକଳ୍ପ କାର୍ୟ୍ୟକାରୀ କରିବାରେ ସବୁ ରାଜ୍ୟ ଭିତରେ ମଧ୍ୟପ୍ରଦେଶ ସବୁଠୁ ଆଗରେ ଅଛି । ମଧ୍ୟପ୍ରଦେଶକୁ ଶ୍ରେଷ୍ଠ ରାଜ୍ୟ ପୁରସ୍କାର ମିଳିବ ।