ଆଜିଠୁ ବିଧାନସଭା; ୧୭ରେ ବଜେଟ୍
ଖବର ଓଡ଼ିଶା ବ୍ଯୂର: ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ତୃତୀୟ ତଥା ବଜେଟ ଅଧିବେଶନ। ରାଜ୍ୟପାଳଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ ହେବ। ଆସନ୍ତା ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆସନ୍ତା ୨୦୨୫-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ସେହିପରି ମାର୍ଚ୍ଚ ୨୯ ତାରିଖରେ ବ୍ୟୟମଞ୍ଜୁରୀ ବିଧେୟକ ଆଗତ ହେବ। ବଜେଟ ଅଧିବେଶନ ୨ଟି ପର୍ଯାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୧୩ରୁ ୨୧ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୭ରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବା ନେଇ ସ୍ଥିରୀକୃତ ହୋଇଛି।
ଅଧିବେଶନରେ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ବିଜେଡି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛନ୍ତି। ଏହି ୨୮ ଦିନିଆ ଅଧିବେଶନରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, କଟନୀ ଛଟନୀ, ଚାଷୀ ମୃତ୍ୟୁ, ଦରଦାମ ବୃଦ୍ଧି, ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନରେ ବିଫଳତା, କଣାସରେ ହଇଜା ମୃତ୍ୟୁ, ବାରବାଟୀ ଲଜ୍ଜା, ଚିଟଫଣ୍ଡ ଟଙ୍କା ଫେରସ୍ତରେ କାଳକ୍ଷେପଣ ନୀତି, ପୋଲାଭରମ୍, ମହାନଦୀ, ପୂର୍ବତଟ ରେଳ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଆଦି ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ସ୍ୱାର୍ଥ ଉପେକ୍ଷିତ ଆଦି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ କାଠଗଡ଼ାକୁ ଟାଣିବେ। ଦୁଇ ଦଳ ପକ୍ଷରୁ ବିଧାୟକ ଦଳ ବୈଠକରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଅପରପକ୍ଷେ ରାଜ୍ୟ ସରକାର ସମସ୍ତ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଦୃଢେ଼ାକ୍ତି ପ୍ରକାଶ କରିଥିଲେ ହେଁ, ଆସନ୍ତା ଅଧିବେଶନ ଶାସକ ଦଳ ପାଇଁ ସହଜ ହୋଇ ନ ପାରେ ବୋଲି ଅନୁମାନ କରାଯାଉଛି। ବିଶେଷକରି ସରକାରଙ୍କ ବିରୋଧରେ ମାଳମାଳ ପ୍ରସଙ୍ଗ ରହିଥିବା ବେଳେ ବଜେଟ ଅଧିବେଶନରେ ଗୃହରେ ବେଶ୍ ଉଷ୍ମତା ପ୍ରକାଶ ପାଇବ ବୋଲି ମତପ୍ରକାଶ ପାଇଛି।


