ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ

Aug 21, 2024 - 22:59
 0
ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ

ଖବର ଓଡ଼ିଶା ବ୍ଯୂର: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ। ସେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନାମାଙ୍କନ ଦାଖଲ କରିଛନ୍ତି। ଦଳ ପକ୍ଷରୁ ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯାଇ ନଥିବା ବେଳେ ସେ ଆଜି କାହିଁକି ନାମାଙ୍କନ ଦାଖଲ କଲେ, ତାହା ଜଣାପଡ଼ି ନାହିଁ।

ବିଜେପି ବିଧାୟକଙ୍କ ଉପସ୍ଥିତିରେ ଜଗନ୍ନାଥ ପ୍ରଧାନ ନାମାଙ୍କନ ଦାଖଲ କରିଛନ୍ତି। ତାଙ୍କ ନାମାଙ୍କନରେ ୧୦ ଜଣ ବିଧାୟକ ପ୍ରସ୍ତାବକ ପଡ଼ିଛନ୍ତି। ଗୋଟିଏ ସେଟ୍‌ ନାମାଙ୍କନ ଭରିଛନ୍ତି ଜଗନ୍ନାଥ ପ୍ରଧାନ। ଅଗସ୍ତି ବେହେରା ପ୍ରଥମ ପ୍ରସ୍ତାବକ ପଡ଼ିଥିବା ବେଳେ ଦୁର୍ଗା ପ୍ରସାଦ ନାୟକ, ଦୁଷ୍ମନ୍ତ ସ୍ୱାଇଁ, ମନୋରଞ୍ଜନ ଡ୍ୟାନ ସାମନ୍ତରାୟ, ଲକ୍ଷ୍ମଣ ବାଗ ପ୍ରସ୍ତାବକ ପଡ଼ିଛନ୍ତି।

ବିଜେପିର ଜଣେ ଟାଣୁଆ ନେତା ହେଉଛନ୍ତି ଜଗନ୍ନାଥ ପ୍ରଧାନ। ଚଳିତ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଥିଲେ। ହେଲେ ସେ ତାଙ୍କ ନିକଟର ପ୍ରତିଦ୍ୱନ୍ଦ୍ୱୀ ଅନନ୍ତ ନାରାୟଣ ଜେନାଙ୍କଠାରୁ ଅଳ୍ପ ବ୍ୟବଧାନରେ ପରାଜିତ ହୋଇଥିଲେ।

ସେପଟେ ମଙ୍ଗଳବାର ରାଜ୍ୟସଭା ପାଇଁ କୁଡୁମୀ ସମ୍ପ୍ରଦାୟର ନେତ୍ରୀ ମମତା ମହାନ୍ତଙ୍କୁ ବିଜେପି ପ୍ରାର୍ଥୀ କରିଥିଲା। ଆଜି ସେ ନାମାଙ୍କନ ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲେ ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜୟ ସିଂହ ତୋମାରଙ୍କ ପରି ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।

ମମତା ମହାନ୍ତ ହେଉଛନ୍ତି କୁଡ଼ୁମୀ ସଂପ୍ରଦାୟର ଜଣେ ଟାଣୁଆ ଓ ଶିକ୍ଷିତ ନେତ୍ରୀ। ମମତା ୨୦୨୦ ମସିହା ଏପ୍ରିଲ ୩ ତାରିଖରେ ବିଜେଡି ତରଫରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ହେଲେ ସାଧାରଣ ନିର୍ବାଚନ ପରେ ପରେ ସେ ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିଲେ। ଇସ୍ତଫା ଦେବା ବେଳେ ବିଜେଡି ବିରୋଧରେ ଅସନ୍ତୋଷ ଝାଡିଥିଲେ। ପରେ ସେ ବିଜେପିରେ ସାମିଲ୍‌ ହୋଇଥିଲେ।