ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

Oct 2, 2024 - 17:55
 2
ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

ଖବର ଓଡ଼ିଶା ବ୍ଯୂର: ଆଜି ଗୋଟିଏ ଘୂର୍ଣ୍ଣିବଳୟ ଦକ୍ଷିଣ-ପୂର୍ବ ବାଂଲାଦେଶ ଓ ନିକଟସ୍ଥ ଅଞ୍ଚଳରେ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଗୋଟିଏ ଲଘୁଚାପ କ୍ଷେତ୍ର ଆସନ୍ତା ୪ ତାରିଖ ପାଖାପାଖି ଉତ୍ତର ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳରେ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ବାତ୍ୟା ନେଇ କୌଣସି ଆକଳନ କରାଯାଇ ନାହିଁ ବୋଲି IMD ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଏହାର ପ୍ରଭାବରେ ବର୍ଷା ହୋଇପାରେ।

ଚଳିତବର୍ଷ ଶୀତକୁ ନେଇ ଶ୍ରୀ ମହାପାତ୍ର କହିଛନ୍ତି, ବର୍ତ୍ତମାନ ଏଲିନୋ ସକ୍ରିୟ ନାହିଁ। ଏବେ ତାପମାତ୍ରା ୦.୫ ଡିଗ୍ରୀ ସେଲ୍‌ସିୟସ୍‌ ମାଇନସ୍‌ ରହିଛି। ପ୍ରଶାନ୍ତ ମହାସାଗରରେ ନ୍ୟୁଟ୍ରାଲ୍‌ ଏଲିନୋ କଣ୍ଡିସନ୍‌ ଚାଲିଛି। ତେଣୁ ଆମର ଅନୁମାନ ଅକ୍ଟୋବର ଓ ନଭେମ୍ୱର ମାସରେ ଲାନିନା କଣ୍ଡିସନ୍‌ ଡେଭ୍‌ଲପ୍‌ ହେବ। ଲାନିନା କଣ୍ଡିସନ୍‌ ଯେତେବେଳେ ଡେଭ୍‌ଲପ୍‌ ହୁଏ, ସେତେବେଳେ ସାଧାରଣତଃ ଉତ୍ତର ଭାରତରେ ତାପମାତ୍ରା କମ୍‌ ରହିଥାଏ। କିନ୍ତୁ ସାଧାରଣତଃ ଲାନିନା ବର୍ଷମାନଙ୍କରେ ତାପମାତ୍ରା କମ୍‌ ରହିଥିବା ଦେଖାଯାଇଛି। ତେଣୁ ଅଧିକ ଥଣ୍ଡା ଅନୁଭୂତ ହୋଇଥାଏ। କିନ୍ତୁ ବର୍ତ୍ତମାନ ଅକ୍ଟୋବର ଓ ନଭେମ୍ୱରରେ ଗୋଟିଏ ଦୁର୍ବଳ ନାଲିନା କଣ୍ଡିସନ୍‌ ହେବ। ତାହା ଧୀରେଧୀରେ ସକ୍ରିୟ ହେବ। ତେବେ କିଭଳ ସକ୍ରିୟ ହେବ, ତାକୁ ଅନୁଧ୍ୟାନ କଲେ କେତେ ପରିମାଣରେ ଥଣ୍ଡା ବଢ଼ିବ ଜଣାପଡିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଅନ୍ୟପକ୍ଷରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ବୁଲେଟିନ୍‌ ଅନୁସାରେ ଆସନ୍ତାକାଲି ଅର୍ଥାତ ଗୁରୁବାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, ଗଞ୍ଜାମ,ଗଜପତି, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଘଡ଼ଘଡ଼ି ସହ ବଜ୍ରପାତହେବାର ସମ୍ଭାବନା ରହିଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ଶୁକ୍ରବାର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଜଗତସିଂହପୁର,ଢେଙ୍କାନାଳ, ଅନୁଗୋଳ ଓ କେନ୍ଦୁଝର ଜିଲ୍ଲାରେ ଘଡ଼ଘଡ଼ି ସହ ବଜ୍ରପାତହେବାର ସମ୍ଭାବନା ରହିଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।