ଆଉ ସରକାରୀ ରେକର୍ଡରେ ବ୍ୟବହାର ହୋଇପାରିବ ନାହିଁ ହରିଜନ ଶବ୍ଦ
ଆଉ ସରକାରୀ ରେକର୍ଡରେ ବ୍ୟବହାର ହୋଇପାରିବ ନାହିଁ ହରିଜନ ଶବ୍ଦ
ଏଥର ସରକାରୀ ରେକର୍ଡ ଓ ଚିଠିପତ୍ରରେ ଉପଯୋଗ ହୋଇପାରିବ ନାହିଁ ‘ହରିଜନ’ ଶବ୍ଦ । ରାଜ୍ୟରେ ସାମାଜିକ ନ୍ୟାୟ ଓ ସାମ୍ବିଧାନିକ ଅଧିକାର ସୁନିଶ୍ଚିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ରାଜ୍ୟ ସରକାର ମଙ୍ଗଳବାର ଏଭଳି ନିର୍ଦ୍ଦେଶନାମା ସମସ୍ତ ବିଭାଗ ଓ ଜିଲ୍ଲାପାଳମାନଙ୍କୁ ଜାରି କରିଛନ୍ତି । ‘ହରିଜନ’ ଶବ୍ଦ ପରିବର୍ତ୍ତେ ‘ଅନୁସୂଚିତ ଜାତି’କୁ ସାମ୍ବିଧାନିକ ଶବ୍ଦ ଭାବେ ଉପଯୋଗ କରିବାକୁ କୁହାଯାଇଛି । ଏହି ନିର୍ଦ୍ଦେଶକୁ ଅନୁପାଳନ କରି ଆକ୍ସନ ଟେକେନ୍ ରିପୋର୍ଟ ଦାଖଲ କରିବାକୁ ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।
ସରକାରଙ୍କ ନିର୍ଦ୍ଦେଶନାମା ଓ ଅନୁପାଳନ
ଏନେଇ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବ ବି.ପରମେଶ୍ୱରନ୍ ମଙ୍ଗଳବାର ସମସ୍ତ ବିଭାଗୀୟ ସଚିବଙ୍କୁ ଚିଠି ଲେଖି ରାଜ୍ୟ ସରକାରଙ୍କ ସମସ୍ତ ପ୍ରକାରର ରେକର୍ଡ, ଚିଠି ଆଦାନପ୍ରଦାନ, ଜାତି ପ୍ରମାଣପତ୍ର, ପ୍ରକାଶନ ଆଦିରେ ‘ହରିଜନ’ ଶବ୍ଦର ବ୍ୟବହାର ସଂପୂର୍ଣ୍ଣ ବନ୍ଦକୁ ସୁନିଶ୍ଚିତ କରିବାକୁ କହିଛନ୍ତି । ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ, ପ୍ରତିଷ୍ଠାନ, ସ୍ୱାୟତ୍ତ ସଂସ୍ଥା ଓ ଅଫିସଗୁଡ଼ିକୁ ମଧ୍ୟ ଏହି ନିର୍ଦ୍ଦେଶକୁ ପାଳନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟ ସଚିବଙ୍କ ଅନୁମୋଦନରେ ସେ ଏହି ନିର୍ଦ୍ଦେଶନାମା ଜାରି କରିଥିବା ଏବଂ ଏହାକୁ ଅନୁପାଳନର ଏକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ନିମନ୍ତେ ମଧ୍ୟ ସବୁ ବିଭାଗକୁ କହିଛନ୍ତି । ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟର ୨୦୧୨ ନଭେମ୍ବର ୨୨, ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ୨୦୧୩ ଜାନୁୟାରୀ ୧୦ ତାରିଖ ଓ ଓଡ଼ିଶା ମାନବାଧିକାର ଆୟୋଗ(ଓଏଚଆରସି)ଙ୍କ ୨୦୨୫ ଜାନୁୟାରୀ ୩୧ତାରିଖର ଆଦେଶ ଆଧାରରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଥିବା ସଚିବ ଶ୍ରୀ ପରମେଶ୍ୱରନ୍ ଅବଗତ କରାଇଛନ୍ତି । ଭାରତୀୟ ସମ୍ବିଧାନର ଅନୁଚ୍ଛେଦ-୩୪୧ ଅନୁସାରେ ଅନୁସୂଚିତ ଜାତି ବର୍ଗଙ୍କ ନିମନ୍ତେ ଇଂରାଜୀରେ ‘ସିଡ୍ଲ୍ୟୁଲ୍ କାଷ୍ଟ’ ଓ ଓଡ଼ିଆରେ ‘ଅନୁସୂଚିତ ଜାତି’ ଶବ୍ଦ ଉପଯୋଗ କରାଯିବ। ରାଜ୍ୟ ସରକାରଙ୍କ ସମସ୍ତ ପ୍ରକାରର ରେକର୍ଡ, ଚିଠିପତ୍ର, ଜାତି ପ୍ରମାଣପତ୍ର, ପ୍ରକାଶନ ଆଦିରେ ‘ହରିଜନ’ ଶବ୍ଦର ଉପଯୋଗ ସମ୍ପୂର୍ଣ୍ଣ ବନ୍ଦ ରହିବ । ଏ ସମ୍ପର୍କରେ ସରକାରୀ ଅଫିସରମାନଙ୍କ ମଧ୍ୟରେ ଆବଶ୍ୟକ ସଚେତନତା ସୃଷ୍ଟି ନିମନ୍ତେ ମଧ୍ୟ ବିଭାଗ କହିଛି ।
୬ ଜିଲ୍ଲାପାଳଙ୍କୁ ଆକ୍ସନଟେକେନ୍ ରିପୋର୍ଟ
ନୟାଗଡ଼, କଟକ, ପୁରୀ, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ଭଦ୍ରକ ଜିଲ୍ଲାପାଳମାନଙ୍କୁ ତୁରନ୍ତ ନିଜ ନିଜ ଅଂଚଳରେ ଥିବା ସ୍କୁଲଗୁଡ଼ିକର ନାମରେ ‘ହରିଜନ’ଶବ୍ଦ ଉପଯୋଗ ହୋଇଥିଲେ ତାକୁ ହଟାଇବା ସହ ଏ ସଂକ୍ରାନ୍ତରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହାଫଳରେ ଧାର୍ଯ୍ୟ ସମୟସୀମା ମଧ୍ୟରେ କୋର୍ଟଙ୍କୁ ଅବଗତ କରାଯାଇପାରିବ ବୋଲି ବିଭାଗ କହିଛି । ଓଡ଼ିଶାର ବହୁଜନ ଛାତ୍ର ଓ ଯୁବ ମୋର୍ଚ୍ଚାର ରାଜ୍ୟ ସଂଯୋଜକ ଅନୀଲ କୁମାର ମଲ୍ଲିକଙ୍କ ଦ୍ୱାରା ଦାଏର ଏକ ମାମଲାର ବିଚାର କରି ଓଡ଼ିଶା ମାନବାଧିକାର ଆୟୋଗ(ଓଏଚଆରସି) ୨୦୨୫ ଜାନୁୟାରୀ ୩୧ତାରିଖରେ ମଧ୍ୟ ଅନୁରୂପ ନିର୍ଦ୍ଦେଶ ଜାରି କରିଛନ୍ତି । ଶ୍ରୀ ମଲ୍ଲିକ ସରକାରୀ ସଂସ୍ଥା, ଶିକ୍ଷାନୁଷ୍ଠାନ ଓ ସରକାରୀ ଯୋଗାଯୋଗରେ ‘ହରିଜନ’ଶବ୍ଦର ଉପଯୋଗ ବନ୍ଦ ପାଇଁ ଦାବି ଜଣାଇଥିଲେ । ଏହି ଶବ୍ଦର ଉପଯୋଗ ଅନୁସୂଚିତ ଜାତି ବର୍ଗର ସାମ୍ବିଧାନିକ ଅଧିକାରର ଉଲ୍ଲଘଂନ ବୋଲି ଦର୍ଶାଇବା ସହ କେତେକ ସ୍କୁଲରେ ଏହି ଶବ୍ଦ ବ୍ୟବହାର ହେଉଥିବାର ତାଲିକା ମଧ୍ୟ ପ୍ରଦାନ କରିଥିଲେ ।


