ଗ୍ରାମ୍ୟ ସାଧନ କର୍ମୀଙ୍କ ଦୈନିକ ପାରିଶ୍ରମିକ ୫୦୦ଟଙ୍କାକୁ ବୃଦ୍ଧି

Mar 14, 2024 - 23:16
 3
ଗ୍ରାମ୍ୟ ସାଧନ କର୍ମୀଙ୍କ ଦୈନିକ ପାରିଶ୍ରମିକ ୫୦୦ଟଙ୍କାକୁ ବୃଦ୍ଧି

ଖବର ଓଡ଼ିଶା ବ୍ଯୂର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଆଜି ଗ୍ରାମ୍ୟ ସାଧନ କର୍ମୀ(ଭିଲେଜ ରିସୋର୍ସ ପର୍ସନ)ଙ୍କ ପାରିଶ୍ରମିକକୁ ୫୦୦ଟଙ୍କାକୁ ବୃଦ୍ଧି କରିଛନ୍ତି। ଦୈନିକ କାର୍ଯ୍ୟ ଦିବସର ପାରିଶ୍ରମିକ ପରିମାଣ ୩୦୦ଟଙ୍କାରୁ ୪୦୦ଟଙ୍କାକୁ ଏବଂ ଯାତାୟତ ଖର୍ଚ୍ଚ ବାବଦରେ ଅତିରିକ୍ତ ୧୦୦ଟଙ୍କା ଏଭଳି ମୋଟ ପାରିଶ୍ରମିକ ୫୦୦ଟଙ୍କା ହୋଇଛି। ଏହାଦ୍ୱାରା ରାଜ୍ୟର ପ୍ରାୟ ୧୦ହଜାର ଗ୍ରାମ୍ୟ ସାଧନ କର୍ମୀ ଉପକୃତ ହେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି।

ସୂଚନା ଅନୁସାରେ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ‘ଓଡ଼ିଶା ସାମାଜିକ ସମୀକ୍ଷା, ଉତ୍ତରଦାୟିତ୍ୱ ଓ ସ୍ୱଚ୍ଛତା ସମିତି’ରେ କାମ କରୁଥିବା ଏହି ସାଧନକର୍ମୀମାନେ ମନରେଗା, ପକ୍କାଘର, ଖାଦ୍ୟ ସୁରକ୍ଷା, ମଧ୍ୟାହ୍ନ ଭୋଜନ ଭଳି ଅନେକ ସରକାରୀ କାର୍ଯ୍ୟକ୍ରମର ସୋସିଆଲ ଅଡିଟ୍ କରି ସ୍ୱଚ୍ଛତା ରକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ଏଥିରେ ମିଶନ ଶକ୍ତି ମା’ମାନେ ମଧ୍ୟ ବହୁ ସଂଖ୍ୟାରେ ନିୟୋଜିତ ହୋଇଥାନ୍ତି। ଏହି ପାରିଶ୍ରମିକ ବୃଦ୍ଧି ଦ୍ୱାରା ରାଜ୍ୟ ସରକାରଙ୍କୁ ବାର୍ଷିକ ଅତିରିକ୍ତ ୨.୨୮କୋଟି ଟଙ୍କା ଖର୍ଚ୍ଚ ବହନ କରିବାକୁ ପଡ଼ିବ।